Letter from the Prime Minister
     
     
  ମୋର ପ୍ରିୟ ଦେଶବାସୀଗଣ,  
     
  ଉତ୍ସାହ ଏବଂ ଉଦ୍ଦୀପନାରେ ପରିପୂର୍ଣ୍ଣ ଏହି ପବିତ୍ର ଦୀପାବଳିରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ଏହା ଦ୍ୱିତୀୟ ଦୀପାବଳି। ପ୍ରଭୁ ଶ୍ରୀ ରାମ ଆମକୁ ମର୍ଯ୍ୟାଦା ପାଳନ କରିବାକୁ ଶିଖାଇଛନ୍ତି ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ମଧ୍ୟ ଶିକ୍ଷା ଦେଇଛନ୍ତି। କିଛି ମାସ ପୂର୍ବରୁ ଅପରେସନ ସିନ୍ଦୂର ସମୟରେ ଆମେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିଥିଲୁ। ଅପରେସନ ସିନ୍ଦୂରରେ, ଭାରତ ମର୍ଯ୍ୟାଦା ପାଳନ କରିବା ସହିତ ଅନ୍ୟାୟର ପ୍ରତିଶୋଧ ମଧ୍ୟ ନେଇଥିଲା।  
     
  ଚଳିତ ବର୍ଷର ଦୀପାବଳି ଆଉ ଏକ କାରଣ ପାଇଁ ସ୍ୱତନ୍ତ୍ର। ସେହି କାରଣଟି ହେଲା ଦେଶର ଅନେକ ଜିଲ୍ଲାରେ, ଉପାନ୍ତ ଅଞ୍ଚଳରେ ପ୍ରଥମ ଥର ଦୀପାବଳିର ଦୀପ ଜଳିବ। ଏସବୁ ହେଉଛି ସେହି ଜିଲ୍ଲା, ଯେଉଁଠି ନକ୍ସଲବାଦ ଏବଂ ମାଓବାଦର ଆତଙ୍କକୁ ସମୂଳେ ନାଶ କରାଯାଇଛି। ବିଗତ କିଛି ଦିନ ମଧ୍ୟରେ ଆମେ ଦେଖିଛୁ ଯେ, ଅନେକ ଲୋକ ହିଂସାର ମାର୍ଗ ପରିତ୍ୟାଗ କରି ବିକାଶର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି । ସେମାନେ ଦେଶର ସମ୍ବିଧାନ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି। ଦେଶ ପାଇଁ ଏହା ବହୁତ ବଡ଼ ଉପଲବ୍ଧି।  
     
  ଏହି ଐତିହାସିକ ସଫଳତା ମଧ୍ୟରେ କିଛି ଦିନ ପୂର୍ବରୁ ଦେଶରେ ପରବର୍ତ୍ତୀ ପିଢ଼ିର ସଂସ୍କାର ମଧ୍ୟ ଆରମ୍ଭ କରାଯାଇଥିଲା। ନବରାତ୍ରିର ପ୍ରଥମ ଦିନରେ କମ୍ ଜିଏସଟି ହାର ଲାଗୁ କରାଯାଇଥିଲା। ଜିଏସଟି ସଞ୍ଚୟ ମହୋତ୍ସବ ସମୟରେ ନାଗରିକମାନଙ୍କର ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେଉଛି।  
     
  ଅନେକ ସଙ୍କଟର ସମ୍ମୁଖୀନ ହେଉଥିବା ବିଶ୍ୱରେ, ଆମ ଭାରତ ଉଭୟ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବରେ ଉଭା ହୋଇଛି। ନିକଟ ଭବିଷ୍ୟତରେ, ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ପ୍ରସ୍ତୁତ।  
     
  ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଆଡ଼କୁ ଏହି ଯାତ୍ରାରେ, ଜଣେ ନାଗରିକ ଭାବରେ ଆମର ପ୍ରାଥମିକ ଦାୟିତ୍ୱ ହେଉଛି ଦେଶ ପ୍ରତି ନିଜ କର୍ତ୍ତବ୍ୟ ପାଳନ କରିବା।  
     
  ଆମେ ‘ସ୍ୱଦେଶୀ’ (ସ୍ଥାନୀୟ ଉତ୍ପାଦ) ଆପଣାଇବା ଏବଂ ଗର୍ବର ସହ କହିବା – ଏହା ‘ସ୍ୱଦେଶୀ’ । ଆମେ ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ବଢ଼ାଇବା। ଆମେ ପ୍ରତ୍ୟେକ ଭାଷାକୁ ସମ୍ମାନ କରିବା। ଆମେ ସ୍ୱଚ୍ଛତା ପାଳନ କରିବା। ଆମେ ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା। ଭୋଜନରେ ତେଲ ପରିମାଣକୁ 10 ପ୍ରତିଶତ କମ କରିବା ଏବଂ ଯୋଗକୁ ଆପଣାଇବା। ଏସବୁ ପ୍ରୟାସ ଆମକୁ ଆହୁରି ଦ୍ରୁତ ଗତିରେ ବିକଶିତ ଭାରତ ଆଡ଼କୁ ନେଇଯିବ।  
     
  ଦୀପାବଳି ଆମକୁ ଏହା ମଧ୍ୟ ଶିଖାଇଥାଏ ଯେ ଗୋଟିଏ ଦୀପ ଅନ୍ୟ ଦୀପକୁ ଜଳାଇଲେ ତା’ର ଆଲୋକ କମିନଥାଏ ବରଂ ଅଧିକ ବଢ଼ିଥାଏ। ଏହି ଭାବନା ନେଇ ଆମେ ମଧ୍ୟ ଏହି ଦୀପାବଳି ଅବସରରେ ଆମ ସମାଜରେ, ନିଜ ଆଖପାଖରେ, ସଦ୍ଭାବ, ସହଯୋଗ ଏବଂ ସକାରାତ୍ମକତାର ଦୀପ ଜଳାଇବାକୁ ହେବ।
ପୁଣିଥରେ ଆପଣଙ୍କୁ ଦୀପାବଳି ପର୍ବର ଅନେକ ଅନେକ ଶୁଭକାମନା।
 
     
  ଆପଣଙ୍କ,
ନରେନ୍ଦ୍ର ମୋଦୀ
 
  Letter from the Prime Minister  
     
   
     
  ଏହି ପତ୍ରଟିକୁ ନିଜ ଭାଷାରେ ପଢ଼ନ୍ତୁ  
     
 
English हिंदी ગુજરાતી ଓଡ଼ିଆ ਪੰਜਾਬੀ தமிழ் मराठी తెలుగు বাংলা മലയാളം অসমীয়া ಕನ್ನಡ اردو মণিপুরী नेपाली Khasi भोजपुरी मैथिली
 
     
     
       
 
प्रधानमंत्री श्री नरेंद्र मोदी से जुड़ें   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଡ଼ି ହୁଅନ୍ତୁ
नवीनतम जानकारी के लिए माईगव विज़िट करें।   ନବୀନତମ ଅପଡେଟ୍ ପାଇଁ ମାଇଁଗଭ ଭିଜିଟ୍ କରନ୍ତୁ